ଭଦ୍ରକ ଜିଲ୍ଲାର ଏକ ଛୋଟ ଗାଁର ଜଣେ ବୋହୂ ଛବିରାଣୀ ବିଶ୍ଵାଳ । ଜଣେ କଳା ବିଭାଗର ଛାତ୍ରୀ ଥିଲେ ଛବିରାଣୀ, ପଢିବା ସମୟରେ ହିଁ ମନରେ ଆଶା ବାନ୍ଧିଥିଲେ ଶିକ୍ଷକତା କରାଇବାପାଇଁ ମାତ୍ର ପାରିପାର୍ଶ୍ଵିକ ସୁବିଧା ସୁଯୋଗର ଅଭାବ, ପାରିବାରିକ ସମସ୍ଯା ପାଇଁ ଉପଯୁକ୍ତ ବୟସ ପୂର୍ବରୁ ବିବାହ କରିଥିଲେ । ବିବାହ ପରେ ଘରର ଦାୟିତ୍ଵ ମଧ୍ୟରେ ଛନ୍ଦି ହୋଇ ନିଜର ସ୍ଵପ୍ନକୁ ସାକାର କରିବା ପାଇଁ ଅନ୍ୟତ୍ର ସୁଯୋଗ ମଧ୍ୟ ଖୋଜିବାର ଆଶା ମରିଯାଇଥିଲା ।
ବିବାହ ପରେ ଛବିରାଣୀ ତାଙ୍କ ଶ୍ଵଶୁର ଠାରୁ ଥିଙ୍କଜୋନ ଫେଲୋସିପ ବିଷୟରେ ଜାଣିବାକୁ ପାଇଥିଲେ, ଯାହା ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନଙ୍କର ଶିକ୍ଷଣ ଫଳାଫଳ ବିକାଶ କରିବା ପାଇଁ କାର୍ଯ୍ୟ କରୁଛି ଏବଂ ଏହି କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କୁ ନିଜ ଅଞ୍ଚଳରେ ଥିବା ବିଦ୍ୟାଳୟମାନଙ୍କରେ ପିଲାମାନଙ୍କ ଶିକ୍ଷଣରେ ସାହାଯ୍ୟ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହା ଶୁଣିବାପରେ ଛବିରାଣୀଙ୍କ ମନରେ ସଂଚାର ହୋଇଥିଲା ନିଜର ଅଧୁରା ସ୍ଵପ୍ନକୁ ପୂରଣ କରିବାର ଏକ ସକାରାତ୍ମକ ପ୍ରବାହ ଏବଂ ପରେ ଛବିରାଣୀ ଯୋଗ ଦିଅନ୍ତି ଉକ୍ତ କାର୍ଯ୍ୟକ୍ରମରେ ।
ଛବିରାଣୀ ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କୁ ପାଠ ପଢିବାରେ ସାହାଯ୍ୟ କରିବା ପାଇଁ ଥିଙ୍କଜୋନ ଦ୍ଵାରା ଆୟୋଜିତ ପ୍ରଶିକ୍ଷଣରେ ଭାଗ ନେଇଥିଲେ, ଯେଉଁଠାରେ ସେ ବିଭିନ୍ନ ଆଧୁନିକ ଶିକ୍ଷଣ ଓ ଶିକ୍ଷାଦାନ ପ୍ରଣାଳୀ, ଶ୍ରେଣୀଗୃହ ପରିଚାଳନା ଦକ୍ଷତା ଏବଂ ଡିଜିଟାଲ୍ ଯୋଗାଯୋଗ ଦକ୍ଷତା ଆଦି ଶିଖିଲେ । ପ୍ରଶିକ୍ଷଣ ପରେ ସେ ପାଖ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କର ଶିକ୍ଷଣକୁ ସାହାଯ୍ୟ କରିବା ପାଇଁ ଶିକ୍ଷକତା ଆରମ୍ଭ କରନ୍ତି ଛବିରାଣୀ ଏବଂ ଉତ୍ଥାନ କାର୍ଯ୍ୟକ୍ରମରେ ସହାୟକ ଭାବେ ନିଜର ଏକ ନୂଆ ପରିଚୟ ପାଆନ୍ତି ଛବିରାଣୀ । “ମୁଁ ସ୍କୁଲ ରେ ପଢୁଥିବା ସମୟରେ ମୋ ସ୍କୁଲରେ ମୋତେ କୌଣସି କାର୍ଯ୍ୟକଳାପରେ ଜଡ଼ିତ କରାଯାଉନଥିଲା । ପ୍ରଶ୍ନଟିଏ ପଚାରିବା ପାଇଁ ମନରେ ଡର ରହୁଥିଲା କାରଣ ଶିକ୍ଷକମାନେ କାଳେ ମୋତେ ଉପହାସ କରିବେ । କୌଣସି ଧାରଣା ନ ବୁଝିଥିଲେ ମଧ୍ୟ ଘୋଷି ମନେ ରଖୁଥିଲି । ମାତ୍ର ପ୍ରଶିକ୍ଷଣ ସମୟରେ ମୁଁ କାର୍ଯ୍ୟ-ଭିତ୍ତିକ ଶିକ୍ଷଣ, ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷଣ ଆଦି ବିଷୟରେ ଜାଣିବାକୁ ପାଇଲି । ଆହୁରି ମଧ୍ୟ ଥିଙ୍କଜୋନ ମୋବାଇଲ ଆପ୍ଲିକେସନରେ ଥିବା ପେଟିକାଗୁଡ଼ିକ ପଢି ଶିକ୍ଷଣକୁ କିପରି କଉତୁକିଆ କରିପାରିବି ତାହା ଜାଣିଲି । ଏହାପରେ ମୁଁ ହୃଦୟଙ୍ଗମ କରିଲି ଯେ ପିଲାମାନେ ଯେତେବେଳେ ପ୍ରଶ୍ନ ପଚାରନ୍ତି ସେତେବେଳେ ସର୍ବୋତ୍ତମ ଶିକ୍ଷାଲାଭ କରନ୍ତି ଏବଂ ସେଥିପାଇଁ ଆମେ ପିଲାମାନଙ୍କୁ ଶ୍ରେଣୀରେ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ ।”
ମହାମାରୀ ସମୟରେ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ଆସିପାରୁନଥିବାରୁ ଛବିରାଣୀ ଅନ୍ୟ ସହାୟକମାନଙ୍କ ଭଳି ଥିଙ୍କଜୋନ୍ ର ଘରେ ରହି ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ଶିକ୍ଷାରେ ସହଯୋଗ କରିଥିଲେ, ଯେଉଁଠାରେ ଅଭିଭାବକମାନେ ସାପ୍ତାହିକ ଭାବେ ଶିକ୍ଷା ବିଷୟବସ୍ତୁକୁ ଏସଏମଏସ, ସ୍ୱୟଂଚାଳିତ କଲ ଏବଂ ସହାୟକଙ୍କ ଲାଇଭ କଲ ମାଧ୍ୟମରେ ପାଇପାରିଲେ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ବନ୍ଦ ଥିବା ହେତୁ ଶିକ୍ଷାର୍ଥୀ ଓ ଶିକ୍ଷାର କ୍ଷତି ପୂରଣ ଭାବେ ସାହାଯ୍ୟ କରିଥିଲା । କାରୋନା ମହାମାରୀ ସମୟରେ ପିଲାମାନଙ୍କୁ ପିଲାମାନଙ୍କୁ ପାଠ ସହିତ ଯୋଡ଼ି ରଖିବାରେ ଛବିରାଣୀଙ୍କର ପ୍ରୟାସ ଶିକ୍ଷାର୍ଥୀଙ୍କର ପିତାମାତାଙ୍କୁ ବହୁମାତ୍ରାରେ ପ୍ରଭାବିତ କରିଥିଲା । ସେଥିପାଇଁ ତାଙ୍କ ଅଞ୍ଚଳର ଅଭିଭାବକମାନେ ଛବିରାଣୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏବେ ଯେତେବେଳେ ବିଦ୍ୟାଳୟଗୁଡ଼ିକ ଏବଂ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ଶିକ୍ଷାବ୍ୟବସ୍ଥାକୁ ପୁନଃ ଫେରି ଆସିଛନ୍ତି । ଶିକ୍ଷଣ ଆନନ୍ଦଦାୟୀ ହେବାରୁ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନେ ଶିକ୍ଷାରେ ମନୋନିବେଶ କରୁଛନ୍ତି ଏପରିକି ସେମାନେ ଘରେ ରହିବାକୁ ଚାହୁଁନାହାନ୍ତି । ଛବିରାଣୀ ବର୍ତ୍ତମାନ ତାଙ୍କ ଗ୍ରାମ ନିକଟସ୍ଥ ଏକ ସରକାରୀ ବିଦ୍ୟାଳୟରେ ଉତ୍ଥାନ ସହାୟକ ଭାବରେ ୩୧ ଜଣ ଶିକ୍ଷାର୍ଥୀଙ୍କୁ ଶିକ୍ଷା ଦେବାରେ ଏବଂ ଶିକ୍ଷଣକୁ ସହଜ ସୁଗମ କରିବାରେ ସାହାଯ୍ୟ କରୁଛନ୍ତି ।
ଆତ୍ମହରା ହୋଇ ଛବିରାଣୀ ବିଶ୍ଵାଳ କୁହନ୍ତି, “ମୋର ସ୍ୱପ୍ନକୁ ସାକାର କରିବାର ସୁଯୋଗ ଦେଇଥିବାରୁ ଓ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଥିବାରୁ ଏବଂ ନିରନ୍ତର ସମର୍ଥନ ଯୋଗାଇଥିବାରୁ ମୁଁ ଥିଙ୍କଜୋନ ଠାରେ କୃତଜ୍ଞ । ପିଲାମାନଙ୍କୁ ଶିକ୍ଷଣରେ ସାହାଯ୍ୟ କରିବା ସହ ପାଠକୁ ସେମାନେ ଯେପରି ନ ଡରି କୌତୁହଳ ସହ ପଢିବେ ସେ ଦିଗରେ ମୁଁ ନିରନ୍ତର ଚେଷ୍ଟା କରିବି ।”
ଛବିରାଣୀଙ୍କର ପିଲାମାନଙ୍କ ପ୍ରତି ଅଗାଢ ସ୍ନେହ, ପିଲାମାନେ କିପରି ଉତ୍ତମ ଶିକ୍ଷା ଲାଭ କରିବେ ତା’ର ଇଚ୍ଛା ଏବଂ ଅଭିଭାବକମାନଙ୍କ ପ୍ରତି ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ଆମ ସମସ୍ତଙ୍କୁ ଅନୁପ୍ରେରିତ କରିଛି ।