ପୃଷ୍ଠ ଭୂମି
ମୌଳିକ ଶିକ୍ଷା ଏକ ଶିଶୁ ପାଇଁ ଭବିଷ୍ୟତର ସମସ୍ତ ଶିକ୍ଷାର ମୂଳଦୁଆ ତିଆରି କରିଥାଏ । ବୁଝିବା, ଲେଖିବା ଏବଂ ମୌଳିକ ଗାଣିତିକ କାର୍ଯ୍ୟ କରିବା ସହିତ ପଢିବାରେ ସକ୍ଷମ ହେବା ଏକ ପିଲାକୁ କଠିନ ଧାରଣା ବୁଝିବା ଓ ସମାଧାନ କରିବାରେ ସକ୍ଷମ କରିଥାଏ । ମାତ୍ର ଏହି ମୌଳିକ କୌଶଳ ହାସଲ ନକରିବା ପିଲାକୁ ତୃତୀୟ ଶ୍ରେଣୀ ପରବର୍ତ୍ତୀ ପାଠକୁ ଜଟିଳ କରିଥାଏ । ଉଦାହରଣ ସ୍ୱରୂପ ଯଦି ଜଣେ ପିଲା ଯୁକ୍ତାକ୍ଷର ଶିଖିନାହିଁ ପରବର୍ତ୍ତୀ ଶ୍ରେଣୀରେ ବହି ପଢିବା ତା’ପକ୍ଷରେ ସମ୍ଭବପର ହୋଇପାରେ ନାହିଁ ଏବଂ ଯଦି ପିଲାଟି ଯୋଗ ବିୟୋଗ ଶିଖିନାହିଁ ପରବର୍ତ୍ତୀ ଗାଣିତିକ କୌଶଳ ଶିଖିବାରେ ଅକ୍ଷମ ହୋଇପଡ଼େ ।
ସର୍ବେକ୍ଷଣରୁ ଜଣା ପଡ଼ିଛିଯେ, ଆମେ ବର୍ତ୍ତମାନ ଏକ ଶିକ୍ଷଣ ସଙ୍କଟ ଦେଇ ଗତି କରୁଛୁ । ପ୍ରାରମ୍ଭିକ ବିଦ୍ୟାଳୟରେ ପଢୁଥିବା ୫ କୋଟିରୁ ଅଧିକ ଶିକ୍ଷାର୍ଥୀ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ କରିନାହାନ୍ତି । ଅର୍ଥାତ ୫ କୋଟିରୁ ଅଧିକ ଶିକ୍ଷାର୍ଥୀଙ୍କ ପାଖରେ ପଢିବାର କ୍ଷମତା ଓ ମୌଳିକ ପାଠ ଓ ବିଷୟବସ୍ତୁକୁ ବୁଝିବାର କ୍ଷମତା ଏବଂ ଭାରତୀୟ ସଂଖ୍ୟାରେ ଯୋଗ ଓ ବିୟୋଗ କରିବାର ସାମର୍ଥ୍ୟ ନାହିଁ । ଏହି ଶିକ୍ଷଣ ସଙ୍କଟକୁ ସାମ୍ନା ନକରିପାରି ବହୁତ ଶିକ୍ଷାର୍ଥୀ ଆଧାରୁ ପାଠ ପଢା ଛାଡି ଦେଉଛନ୍ତି ଆଉ କିଛି ଶିକ୍ଷାର୍ଥୀ ଯେଉଁମାନେ ପାଠ ପଢୁଛନ୍ତି ମାତ୍ରା ଆଶାନୁରୂପ ଫଳାଫଳ ପାଇ ପାରୁନାହାନ୍ତି ଯାହା ଆମ ସମାଜରେ ଶିକ୍ଷାର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯଦି ଶିଶୁଙ୍କୁ ଦେଶର ଭବିଷ୍ୟତ ବୋଲି କୁହାଯାଏ ତେବେ ଶିଶୁଙ୍କ ପାଠର ମୂଳଦୁଆକୁ ମଜବୁତ ନକରିପାରିବା ତେବେ ଶିଶୁ ମାନଙ୍କର ଏକ ସୁନେଲି ଭବିଷ୍ୟତର କଳନା କରିବା କିପରି?
ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ପାଇଁ ସବୁଠାରୁ ବଡ଼ ପ୍ରାଥମିକତା ହେଉଛି ସର୍ବଭାରତୀୟ ସ୍ତରରେ ୨୦୨୬-୨୭ ସୁଦ୍ଧା ପ୍ରାଥମିକ ସ୍ତରରେ ଥିବା ଶିକ୍ଷାର୍ଥୀମାନଙ୍କ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଦକ୍ଷତା ଅଧିଗ୍ରହଣ ହାସଲ କରିବା । ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ମଧ୍ୟ ଆଲୋକପାତ କରିଛିଯେ ବର୍ତ୍ତମାନ ପ୍ରାଥମିକ ସ୍ତରରେ ଥିବା ଶିକ୍ଷାର୍ଥୀମାନଙ୍କର ମଧ୍ୟରୁ ଅନେକ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ହାସଲ କରିନାହାନ୍ତି । ଜାତୀୟ ବିକାଶରେ ମୌଳିକ ଦକ୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ‘ଆତ୍ମ ନିର୍ଭର ଭାରତ’ ଅଭିଯାନ ଅଧୀନରେ ୨୦୨୬-୨୭ ସୁଦ୍ଧା ଦେଶର ପ୍ରତ୍ୟେକ ଶିଶୁଙ୍କ ପାଇଁ ତୃତୀୟ ଶ୍ରେଣୀ ଶେଷ ସୁଦ୍ଧା ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ କରିବା ସୁନିଶ୍ଚିତ କରିବା ପାଇଁ ଏକ ଜାତୀୟ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ମିଶନ ଆରମ୍ଭ କରାଯାଇଛି ।
ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଉପରେ ଆଧାରିତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ଵାରା ପ୍ରାରମ୍ଭ ହୋଇଥିବା ସେହି ଜାତୀୟ ମିଶନ ହେଉଛି NIPUN Bharat । ଏହାର ପୂରାନାମ – National Initiative for Proficiency in reading with Understanding and Numeracy । ଏହି ମିଶନର ଲକ୍ଷ୍ୟ ହେଉଛି ଏକ ସକ୍ଷମ ପରିବେଶ ସୃଷ୍ଟି କରିବା ଯାହା ଦ୍ଵାରା ଆମ ଦେଶର ସମସ୍ତ ଶିଶୁ ତୃତୀୟ ଶ୍ରେଣୀ ଶେଷବେଳକୁ ପଢିବା, ଲେଖିବା ଏବଂ ମୌଳିକ ଗାଣିତିକ ଦକ୍ଷତା ହାସଲ କରିବେ । ଏହି ମିଶନରେ ୩ ରୁ ୯ ବର୍ଷ ବୟସର ଶିଶୁ ଅର୍ଥାତ ପ୍ରାକ୍ ଶିକ୍ଷାରୁ ତୃତୀୟ ଶ୍ରେଣୀ ଶିଶୁମାନଙ୍କ ଉପରେ ଗୁରୁତ୍ଵ ଦିଆଯିବ ।
ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମିସନ୍ ରେ ଥିଙ୍କଜୋନ୍
ଥିଙ୍କଜୋନ୍ ହେଉଛି ଏକ ସାମାଜିକ ଉଦ୍ୟୋଗ ଯାହା ପିଲାମାନଙ୍କ ମୌଳିକ ଦକ୍ଷତାକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରେ । ଥିଙ୍କଜୋନ୍ ବିଶ୍ଵାସ କରେ ଯେ ଏକ ଶିଶୁର ଶିକ୍ଷାରେ ବିଦ୍ୟାଳୟ ଏବଂ ଶିକ୍ଷକଙ୍କ ବ୍ୟତୀତ ପିତାମାତା, ପରିବେଶ ଓ ସମ୍ପ୍ରଦାୟ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଏଣୁ ଏହା ଶିଶୁର ଶିକ୍ଷା ଓ ବିକାଶରେ ପିତାମାତା ଓ ସମାନ ସମ୍ପ୍ରଦାୟର ଯୁବଗୋଷ୍ଠୀଙ୍କୁ ଜଡ଼ିତ କରିଥାଏ ।
ଥିଙ୍କଜୋନ୍ ଫେଲୋସିପ୍ କାର୍ଯ୍ୟକ୍ରମ ମାଧ୍ୟମରେ ଥିଙ୍କଜୋନ୍, ୩ ରୁ ୧୦ ବର୍ଷ ପିଲାମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ବଢାଇବା ପାଇଁ ସେହି ଅଞ୍ଚଳରେ ରହୁଥିବା ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେଇଥାଏ । ଉକ୍ତ ପ୍ରଶିକ୍ଷଣରେ ଯୁବଗୋଷ୍ଠୀ ଏକବିଂଶ ଶତାବ୍ଦୀ ଦକ୍ଷତା ବୃଦ୍ଧି କରିବା ସହ ସେମାନେ ଶିଶୁଙ୍କୁ କିଭଳି ଭାବେ ପଢାଇବେ ଓ କ’ଣ ପଢାଇବେ ଯାହା ସେମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧିରେ ସହାୟକ ହେବ ତାହା ଶିଖିଥାନ୍ତି । ଶିକ୍ଷାର୍ଥୀମାନଙ୍କୁ କିପରି ବୁଝିବେ ଓ ଶିକ୍ଷାଦାନ କରିବେ ସେ ଦକ୍ଷତା ଶିଖିବା ପରେ ଯୁବଗୋଷ୍ଠୀ ମାଗଣା ଲର୍ନିଙ୍ଗ କ୍ୟାମ୍ପ କରି ତିନିମାସ ନିଜ ଅଞ୍ଚଳରେ ଥିବା ପିଲାଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାଦାନ କରିଥାନ୍ତି । ପିଲାମାନଙ୍କୁ ପଢାଇବା ପାଇଁ ଯୁବଗୋଷ୍ଠୀ ମୁଖ୍ୟତଃ ଗତିବିଧି ଆଧାରିତ ଶିକ୍ଷଣ ପ୍ରଣାଳୀ ଅର୍ଥାତ ଶିକ୍ଷଣ ଖେଳ, କବିତା ଆଦି ବ୍ୟବହାର କରିଥାନ୍ତି । ପିଲାମାନଙ୍କ ମଧ୍ୟରେ ମୌଳିକ ଦକ୍ଷତା ବିକାଶ କରିବା ପାଇଁ ଯୁବଗୋଷ୍ଠୀ ଶିକ୍ଷଣ ପ୍ରକ୍ରିୟାରେ ପିତାମାତାଙ୍କୁ ଜଡ଼ିତ କରିଥାନ୍ତି । ପିତାମାତା ଏସ୍.ଏମ୍.ଏସ୍, ଏବଂ କଲ୍ ମାଧ୍ୟମରେ ପିଲାମାନଙ୍କୁ ଘରେ ରହି ପଢାଇବା ପାଇଁ ଶିକ୍ଷଣ କାର୍ଯ୍ୟ ପାଇଥାନ୍ତି ଏବଂ ଏଗୁଡ଼ିକୁ ପିଲାମାନଙ୍କ ସହ ଅଭ୍ୟାସ କରିଥାନ୍ତି । ଯୁବଗୋଷ୍ଠୀ ନିଜେ ମଧ୍ୟ ଅଭିଭାବକଙ୍କୁ କଲ୍ କରି ଏବିଷୟରେ ଅବଗତ କରିଥାନ୍ତି ଏବଂ ଶିକ୍ଷଣ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥାନ୍ତି ।
ପିଲାମାନଙ୍କ ଶିକ୍ଷଣରେ ନିଜ ଅଞ୍ଚଳର ଯୁବଗୋଷ୍ଠୀ ଏବଂ ପିତାମାତା ଜଡ଼ିତ ହେବା ନିଶ୍ଚିତ ରୂପେ ଏକ ଆଶାର ଆଲୋକ । ଏହା ମୋର ବିଶ୍ଵାସ ଯେ ଦେଖା ଦେଇଥିବା ଶିକ୍ଷଣ ସଙ୍କଟ ଖୁବ୍ ଶୀଘ୍ର ଦୂର ହୋଇଯିବ ଏବଂ ସମସ୍ତ ପିଲାମାନଙ୍କ ପାଖରେ ମୌଳିକ ଦକ୍ଷତା ରହିବା ସହିତ ପିଲାମାନେ ପାଠକୁ ଆନନ୍ଦରେ ଗ୍ରହଣ କରିବେ, ଚାପରେ ନୁହେଁ ।
10