A Rendezvous with the team members of ThinkZone – ଥିଙ୍କଜୋନ ଟିମ ସହିତ ଏକ ସାକ୍ଷାତକାର (ଭାଗ ୧)
ମୁଁ ଜ୍ଞାନରଞ୍ଜନ, ବର୍ତ୍ତମାନ ମୁଁ ଥିଙ୍କଜୋନରେ ସିନିୟର ଅପରେସନ୍ ମ୍ୟାନେଜର ଭାବରେ କାର୍ଯ୍ୟ କରୁଛି । ଥିଙ୍କଜୋନରେ ଆମ ସମସ୍ତେ ଏକ ଦଳ ଏବଂ ଦଳ ସହିତ କାମ କରିବାର ସବୁଠାରୁ ବଡ଼ ଜିନିଷ ହେଉଛି ଯେ ଦଳର ଅନ୍ୟ ସଦସ୍ୟଙ୍କ ଅନୁଭୂତିରୁ ଶିଖିବା । ତେଣୁ ଏହି ବ୍ଲଗ୍ ରେ, ମୁଁ ଥିଙ୍କଜୋନରେ କାର୍ଯ୍ୟ କରୁଥିବା ସମସ୍ତ ଅପରେଶନ ଟିମ ସଦସ୍ୟ ମାନଙ୍କ ଠାରୁ ତାଙ୍କର ଅଭିଜ୍ଞତା ସଂଗ୍ରହ କରି ଥିଙ୍କଜୋନରେ ତାଙ୍କର ଅନୁଭୂତି ସେୟାର କରିବି । ମାତ୍ର, ତା’ ପୂର୍ବରୁ ମୁଁ ମୋର ନିଜର ଅନୁଭୂତିରୁ ଆରମ୍ଭ କରିବି।
ଥିଙ୍କଜୋନ୍ ସହିତ କାମ ଆରମ୍ଭ କରିବା ପୂର୍ବରୁ KIIT ବିଶ୍ୱବିଦ୍ୟାଳୟରୁ ମୋର ସ୍ନାତକ ଶେଷ କରିଥିଲି । ଥିଙ୍କଜୋନରେ ମୁଁ ମୋର ନିଜ ସହର ଭଦ୍ରକରେ କାମ କରିବାର ସୁଯୋଗ ପାଇଲି, ଯେଉଁଠାରେ ମୁଁ ମୋ ଜୀବନର ଚଉଦ ବର୍ଷ ବିତାଇଥିଲି । ମୁଁ ମେଣ୍ଟର, ଅଭିଭାବକ ଏବଂ ପିଲାମାନଙ୍କ ସହିତ ଅତି ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଆରମ୍ଭ କଲି । କାମ କରିବା ସମୟରେ ମୋତେ ଏପରି ଜିଲ୍ଲା, ବିଭିନ୍ନ ଗ୍ରାମ, ଏବଂ ସହରର କୋଣ ଅନୁକୋଣରେ ବୁଲିବାକୁ ପଡିଥିଲା ଯାହା ପୂର୍ବରୁ ନା ମୁଁ ଶୁଣିଥିଲି ନା ଦେଖିଥିଲି । ପରବର୍ତ୍ତୀ ଦୁଇ ବର୍ଷରେ, ମୁଁ ଭଦ୍ରକ ଜିଲ୍ଲାକୁ ଠିକ ଭାବରେ ଚିହ୍ନିବାରେ ସୁଯୋଗ ପାଇଲି ଯାହା ମୁଁ ପୂର୍ବରୁ ଜାଣି ନଥିଲି ଏବଂ ମୁଁ ଏଥିପାଇଁ ଗର୍ବିତ । ଚାକିରିରେ ସର୍ବଦା ସେହି ଗୋଟିଏ ମୁହୂର୍ତ୍ତ ଆସେ ଯାହା ପୂରା ଜୀବନକୁ ବଦଳାଇ ଦିଏ, ମୋ ଜୀବନରେ ବି ସେହିପରି ଏକ ମୁରୁର୍ତ୍ତ ଆସିଥିଲା । ଚାକିରିର ପ୍ରଥମ ଦିନ ଥିଲା । ମୋତେ ମେଣ୍ଟର ମାନଙ୍କ ସହ କଥାବାର୍ତ୍ତା କରିବାକୁ ଏବଂ ସେମାନଙ୍କ ସମସ୍ୟା ବୁଝିବା କୁହାଯାଇଥିଲା । ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ କାର୍ଯ୍ୟକ୍ରମରୁ ପିଲା ଏବଂ ମେଣ୍ଟରମାନଙ୍କ ଡ୍ରପଆଉଟକୁ ରୋକିବା ପାଇଁ ମୋତେ ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରିବାକୁ ପଡିଲା । କିନ୍ତୁ ମେଣ୍ଟରମାନଙ୍କ ସହିତ କଥା ହେବା ପରେ ମଧ୍ୟ ମୁଁ ତାଙ୍କୁ କିପରି ସାହାଯ୍ୟ କରିପାରିବି ବୁଝିପାରିଲି ନାହିଁ, ବହୁତ ହତାଶ ଅନୁଭବ ହେଉଥିଲା । କିନ୍ତୁ ସେହିସମୟରେ ସଂଗଠନରେ ମୋର ଜଣେ ସିନିୟର ସଦସ୍ୟ ମୋର ନିରାଶା ଦେଖି ମୋତେ କହିଲେ – “ସମସ୍ତ ପ୍ରଶ୍ନର ଉତ୍ତର ସମସ୍ତେ ଜାଣନ୍ତି ନାହିଁ । କାମ କରିବା ସହିତ ସମସ୍ତେ ଶିଖିଯାଆନ୍ତି ଏବଂ ତୁମେ ମଧ୍ୟ ଶିଖିଯିବ” । ଆଜି ପର୍ଯ୍ୟନ୍ତ ମୋ ସମ୍ମୁଖରେ ଯେତେ ବି ସମସ୍ୟା ଆସେ, ମୋର ଏହି କଥା ମନେ ପଡ଼ିଯାଏ ।
ମୋର ଅଭିଜ୍ଞତା ବିଷୟରେ କହିଲେ ସରିବାନି, କିନ୍ତୁ ମୁଁ ଏବେ ମୋର ଘନିଷ୍ଠ ବନ୍ଧୁ ମନୋଜ ସାର୍ ବିଷୟରେ କହିବି । ସେ ମଧ୍ୟ ଥିଙ୍କଜୋନରେ ଏକ ସିନିୟର ଅପରେଶନ ସଦସ୍ୟ ଭାବରେ କାର୍ଯ୍ୟ କରନ୍ତି । ସେ ଆରମ୍ଭ ଦିନରୁ ଥିଙ୍କଜୋନରେ ରହିଆସିଛନ୍ତି ଏବଂ ତାଙ୍କର କାର୍ଯ୍ୟ କରିବାର ଅଭିଜ୍ଞତା ଆମ ସମସ୍ତଙ୍କ ଅପେକ୍ଷା ବହୁତ ଅଧିକ | ଯେତେବେଳେ ମୁଁ ତାଙ୍କୁ ପଚାରିଲି ତାଙ୍କୁ କାମ କରିବାକୁ ପ୍ରେରଣା ଦିଏ ସେ କହିଲେ ଯେ ବିନାୟକ ଆଚାର୍ଯ୍ୟ (ଥିଙ୍କଜୋନ୍ର ପ୍ରତିଷ୍ଠାତା)ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଛନ୍ତି ଯିଏ ପିଲାମାନଙ୍କର ଶିକ୍ଷା ପାଇଁ କିଛି କରିବା ପାଇଁଆଶା ରଖିଥିଲେ । ମନୋଜ ସର୍ବଦା ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ । କଲେଜରେ ସେ ଏକ ସ୍ୱେଚ୍ଛାସେବୀ ମଧ୍ୟ ଥିଲେ । ସେ ଏହି ବର୍ଷଗୁଡିକରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି କିନ୍ତୁ କେବେ ପଛଘୁଞ୍ଚା ଦେଇ ନାହାଁନ୍ତି । ତାଙ୍କ ଅନୁସାରେ “ମୁଁ ଥିଙ୍କଜୋନକୁ ଆରମ୍ଭରୁ ଦେଖିଛି ଏହା ମୋର ନିଜ ପିଲା ପରି | ଯେତେବେଳେ ଥିଙ୍କଜୋନ୍ ଆରମ୍ଭ ହେଲା, ଶିକ୍ଷକ, ଅଭିଭାବକମାନେ ଏହି କାର୍ଯ୍ୟକ୍ରମର ମୂଲ୍ୟ ବୁଝିବା ଆମ ପାଇଁ ବହୁତ କଷ୍ଟସାଧ୍ୟ ଥିଲା । କିନ୍ତୁ ବର୍ତ୍ତମାନ ଆମେ ସରକାରଙ୍କ ସହ କାମ କରୁଛୁ ଏବଂ ସମସ୍ତେ ଆମକୁ ଜାଣନ୍ତି ଏବଂ ଗାଁରେ ଆମକୁ ସମ୍ମାନ କରନ୍ତି । ଯଦିଓ ଆମେ ଏ ପର୍ଯ୍ୟନ୍ତ ଆସିଛୁ, ଆମେ ଏଠାରେ ଅଟକିବୁ ନାହିଁ | ଆଜି ଆମେ ଚାରୋଟି ଜିଲ୍ଲାରେ କାର୍ଯ୍ୟ କରୁଛୁ, ଆମର ଲକ୍ଷ୍ୟ ଓଡିଶାର ପ୍ରତ୍ୟେକ କୋଣରେ ପହଞ୍ଚିବା ଉଚିତ୍” । ମନୋଜ ସର୍ବଦା ଆମକୁ ଆଗକୁ ବଢିବାକୁ ସାହସ ଦେଇଥାଆନ୍ତି ।
ମୁଁ ଲୋପାମୁଦ୍ରାଙ୍କ ସାକ୍ଷାତକାର ନେବା ବେଳେ ସେ ତାଙ୍କ ଅଞ୍ଚଳର ଏକ କାହାଣୀ ସେୟାର କରିଛନ୍ତି । କିନ୍ତୁ ତା’ ପୂର୍ବରୁ ମୁଁ ଲୋପାମୁଦ୍ରା ବିଷୟରେ କିଛି କହିବି । ସେ ଥିଙ୍କଜୋନରେ ଜଣେ ମେଣ୍ଟର ଭାବରେ କାମ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର କାର୍ଯ୍ୟ ନୈତିକତା ଏବଂ କାମ ପରିଚାଳନା ଦକ୍ଷତା ଦେଖି ଆମେ ପ୍ରଭାବିତ ହୋଇଥିଲୁ । ଏବେ ସେ କଟକ ଜିଲ୍ଲାର ଗୋଟିଏ ବ୍ଲକର ସମସ୍ତ ସେଣ୍ଟର ପରିଚାଳନା କରୁଛନ୍ତି । ସେ କହିଲେ, “ଗୋଟିଏ ଗାଁ ଅଛି ଯାହା ବର୍ଷାଋତୁରେ ମୁଖ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଏ ଏବଂ ପିଲାମାନେ ବିଦ୍ୟାଳୟରେ ଯାଇପାରନ୍ତି ନାହିଁ । ସେହି ୩-୪ ମାସ ପାଇଁ ସେମାନେ ପାଠ ପଢାରୁ ମଧ୍ୟ ବିଛିନ୍ନ ହୋଇଯାଆନ୍ତି, ଯାହା ଫଳରେ ସେହି ଗାଁର ପିଲାମାନେ ସବୁବେଳେ ପାଠରେ ପଛୁଆ ରୁହନ୍ତି । ଏପରିକି ଜଣେ ପଞ୍ଚମ ଶ୍ରେଣୀର ଛାତ୍ରମଧ୍ୟ ଅକ୍ଷର ଚିହ୍ନି ପାରୁ ନଥିଲେ । ଯେତେବେଳେ ଏହା ଆମ ନଜରକୁ ଆସିଲା, ଆମେ ସେହି ଗାଁର ଜଣେ ମହିଳାଙ୍କୁ ବାଛିଲୁ, ତାଙ୍କୁ ପ୍ରଶିକ୍ଷଣ ଦେଲୁ ଏବଂ ନିଜର ସେଣ୍ଟର ଖୋଲିବାରେ ମଧ୍ୟ ସାହାଯ୍ୟ କରିଲୁ । ବର୍ତ୍ତମାନ ସେହି ଗାଁର ପିଲାମାନେ ସେମାନଙ୍କ ଶ୍ରେଣୀରେ ଶୀର୍ଷରେ ଅଛନ୍ତି” । ଏହା ଥିଲା ଥିଙ୍କଜୋନର ଏକ କାହାଣୀ, ଯାହା ଆମକୁ ଆଗକୁ ବଢିବାକୁ ସବୁବେଳେ ପ୍ରେରଣା ଦେଇଥାଏ । ଏହିପରି ଆହୁରି ଅନେକ ଅଛି ଯାହା ଆପଣ ଆମ ୱେବସାଇଟରେ ପଢି ପାରିବେ । ପଢିବା ପାଇଁ ଆପଣ ଏଠାରେ ମଧ୍ୟ କ୍ଲିକ କରି ପାରିବେ ।
ଏବେ ମୁଁ ପ୍ରୀତି ବିଷୟରେ କହିବି । ସେ ହେଉଛନ୍ତି ଥିଙ୍କଜୋନ ପରିବାରର ସବୁଠାରୁ ସକ୍ରିୟ ବ୍ୟକ୍ତି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସେଣ୍ଟର ପର୍ଯ୍ୟନ୍ତ ଆପଣ ତାଙ୍କୁ ସବୁଠାରେ ସବୁବେଳେ ପାଇପାରିବେ । ପ୍ରଶିକ୍ଷଣ ଠାରୁ ଆରମ୍ଭ କରି ପରିଚାଳନା ପର୍ଯ୍ୟନ୍ତ, ତାଙ୍କର କାମ ସର୍ବଦା ଅତୁଳନୀୟ । ଯେକୌଣସି କାମ କହିଲେ ସେ କେବେବି ନାଁ କୁହନ୍ତି ନାହିଁ, ସେ କେବଳ ପଚାରିବେ “ମୋତେ ଏହା କରିବା ପାଇଁ କଣ କରିବା ଆବଶ୍ୟକ କୁହନ୍ତୁ, ମୁଁ କରିଦେବି” । ମୁଁ ଯେତେବଳେ ତାଙ୍କ ବିଷୟରେ ଜଣେ ଶିକ୍ଷକଙ୍କୁ ପଚାରିଲି ସେ କହିଲେ, “ମୋ ସେଣ୍ଟରରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥିଲି । ଅଭିଭାବକମାନେ ଅଭିଯୋଗ କରୁଥିଲେ, ଛାତ୍ରମାନଙ୍କର ଅନିୟମିତତା ଥିଲା, ବହୁତ ପିଲା ଡ୍ରପ୍ ଆଉଟ୍ ମଧ୍ୟ ହେଉଥିଲେ । ମୋତେ ପ୍ରୀତି ମାଡାମଙ୍କୁ ଏସବୁ ସମସ୍ୟା କହିବା ପାଇଁ ଟିକେ ଦ୍ଵିଧା ହେଉଥିଲା । କିନ୍ତୁ ଥରେ ମୁଁ ସାହସ ବାନ୍ଧି ତାଙ୍କୁ କହିଲି, ଆଉ ତା’ପର ଠାରୁ ମୋ ସେଣ୍ଟରରେ ଏହିପରି କିଛି ସମସ୍ୟା ହୁଏ ନାହିଁ । କାରଣ ସେ ବହୁତ ସୁରୁଖୁରୁରେ ସବୁକିଛି ପରିଚାଳନା କରିଲେ । ଆଉ ତା’ପର ଠାରୁ ପ୍ରୀତି ମାଡାମ ମୋର ବହୁତ ଭଲ ସାଙ୍ଗ ମଧ୍ୟ ହୋଇଗଲେ । ଏବେ ପିତାମାତା, ଛାତ୍ରମାନେ ସମସ୍ତେ ତାଙ୍କୁ ଆଦର କରନ୍ତି, ତାଙ୍କୁ ସମ୍ମାନ କରନ୍ତି । ବର୍ତ୍ତମାନ ମୁଁ ଏପରି ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଏ ନାହିଁ ” । ଏହା କେବଳ ଗୋଟିଏ ଉଦାହରଣ ଥିଲା । ପ୍ରୀତିଙ୍କ ବିଷୟରେ କହିଲେ ସରିବନି ।
ମୁଁ ଏଠାରେ ମୋ କଥା ଶେଷ କରୁ ନାହିଁ । ଆମର ଆଉ ଟିମ ସଦସ୍ୟଙ୍କ ବିଷୟରେ ମୋର ଦ୍ଵିତୀୟ ବ୍ଲଗରେ ଲେଖିବି । ସେ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଆମର କାର୍ଯ୍ୟକୁ ଅନୁସରଣ କରନ୍ତୁ ।