The meaning of Women Empowerment (ନାରୀ ସଶକ୍ତି କରଣର ଅର୍ଥ କ’ଣ ? )

The meaning of Women Empowerment (Odia)
ନାରୀ ସଶକ୍ତି କରଣର ଅର୍ଥ କ’ଣ ?

ନାରୀ ସଶକ୍ତି କରଣର ସମ୍ପୂର୍ଣ୍ଣ ଅର୍ଥ ତ ମୁଁ କହିପାରିବିନି କିନ୍ତୁ ଯେତେବେଳେ ମୋ ମା ବିଦ୍ୟାଳୟକୁ ଯାଆନ୍ତି,ଭଉଣୀ ଚାକିରିକୁ ଯାଆନ୍ତି,ମୋ ଘରେ ଯେତେବେଳେ ମତେ ବାହାରକୁ ଯିବାକୁ ମନା କରନ୍ତି ନାହିଁ,ପାଠ ପଢ଼ାରେ କିଛି ବାଧା ମଧ୍ୟ ଦିଅନ୍ତି ନାହିଁ ତାହା ଦେଖି ମୁଁ ଭାବେ ଏହାକୁ ବୋଧେ ନାରୀ ସଶକ୍ତି କରଣ କୁହାଯାଏ । 
୨୦୧୮ ମସିହା ଜୁନ ମାସରେ ଯେତେବେଳେ ମୁଁ ଥିଙ୍କଜୋନ ନାମକ ଏକ ସାମାଜିକ ସଂଗଠନ(ଯାହାର ଲକ୍ଷ ପ୍ରତିଟି ଶିଶୁକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା)ରେ ରହି କାମ କରିବାକୁ ଲାଗିଲି ମୁଁ ଜାଣିପାରିଲି ନାରୀ ସଶକ୍ତି କରଣର ପ୍ରକୃତ ଅର୍ଥ କ’ଣ । ଗ୍ରାମାଞ୍ଚଳରେ ମୁଁ ଯେତେବେଳେ ମୋ ଭଳି ଝିଅ ମାନଙ୍କୁ ପାଠ ପଢ଼ି ଘରେ ହତାଶ ହୋଇ ବସିବାର ଦେଖିଲି,ଯେତେବେଳେ ମୋ ବୟସର ଝିଅ ମାନଙ୍କ ହାତରେ ବହି ବଦଳରେ ଘର ଓ ପିଲାଛୁଆଙ୍କ ଦାୟିତ୍ଵ ଦେଖିଲି,ଯେତେବେଳେ ଜଣେ ମହିଳାଙ୍କୁ ଦେଖିଲି ଯେ ଦିନେ ସେହି ଗ୍ରାମର ବିଦ୍ୟାଳୟ ଓ କଲେଜରେ ପ୍ରଥମ ସ୍ଥାନ ରଖୁଥିଲେ କିନ୍ତୁ ଆଜି ସଂସାର ଭିତରୁ ବାହାରି ନିଜ ଜୀବନକୁ ଥରେ ଭଲ ଭାବରେ ଦେଖି ପାରୁନାହାନ୍ତି ମୁଁ ଜାଣିପାରିଲି ନାରୀ ସଶକ୍ତି କରଣର ଆବଶ୍ୟକତା କଣ ?
ଥିଙ୍କଜୋନ ଏପରି ଏକ ସାମାଜିକ ସଂଗଠନ ଯାହା ଗ୍ରାମାଞ୍ଚଳର ନାରୀ ମାନଙ୍କୁ ସ୍ବାବଲମ୍ବୀ ହବାକୁ ସାହାଯ୍ୟ କରେ । ଯେଉଁମାନେ ପାଠ ପଢ଼ି ଘରେ ଅଛନ୍ତି କିନ୍ତୁ କିଛି ରୋଜଗାର କରିବାକୁ ଚାହୁଁଛନ୍ତି, ଅଳ୍ପ ବଯସରୁ ବାହାଘର ହୋଇଯାଇଛି କିନ୍ତୁ ପାଠରୁ ଆଗ୍ରହ ଯାଇନି, ଯେଉଁମାନେ ନିଜ ପାଠ ଖର୍ଚ୍ଛ ନିଜେ ବହନ କରିବାକୁ ଚହୁଁଛନ୍ତି, ଯେଉଁମାନେ ନିଜ ଘର ଚଳେଇବା ପାଇଁ କିଛି କାମ କରିବାକୁ ଚହୁଁଛନ୍ତି, ଯେଉଁମାନେ ଛୋଟ ପିଲାଙ୍କର ପାଠ ପଢ଼ାରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ଯେଉଁମାନଙ୍କର ଲକ୍ଷ୍ୟ ହିଁ ଶିକ୍ଷକ ହେବା ସେମାନଙ୍କୁ ଥିଙ୍କଜୋନ ସାହାଯ୍ୟ କରେ କିଛି ରୋଜଗାର କରି ନିଜ ଗୋଡ଼ରେ ଠିଆ ହବା ପାଇଁ । ସେମାନେ କାହା ଉପରେ ନିର୍ଭର ନ ହୋଇ ନିଜ ଖର୍ଚ୍ଛ ନିଜେ ଉଠେଇବା ପାଇଁ ସକ୍ଷମ ହେବେ । 

ମୁଁ ଜାଣିଛି ଏହା ବହୁତ ବଡ଼ ବିଷୟ ଯାହାକୁ କହିବା ପାଇଁ ମୋ ପାଖରେ ଶବ୍ଦ କମ । କିନ୍ତୁ ମୋର ଏହି ଦୁଇ ବର୍ଷର କିଛିଟି ଅନୁଭୂତିକୁ ଆପଣଙ୍କ ଆଗରେ ରଖିବାକୁ ଚାହୁଁଛି ଯାହା ମତେ ନାରୀ ସଶକ୍ତି କରଣର ଅର୍ଥ ବୁଝେଇଦେଲା । 
ଯେତେବେଳେ ମୁଁ ପ୍ରଥମେ ଥିଙ୍କଜୋନକୁ ଆସିଲି ମୁଁ ଲୋପାମୁଦ୍ରା ଭୂୟାଁଙ୍କ କାମ ବିଷୟରେ ବହୁତ ପ୍ରଶଂସା ଶୁଣୁଥିଲି କିନ୍ତୁ କେବେ ତାଙ୍କ ସହ ଦେଖା ହୋଇନଥିଲି । ଯେବେ ଦେଖା କଲି ଜାଣିଲି ମଣିଷ ଏତେ କଷ୍ଟରେ ଥାଇ ମଧ୍ୟ କର୍ମ ହିଁ ଭଗବାନ ଭାବି କିପରି ନିଜ ଜୀବନ କଟେଇ ଦିଅନ୍ତି । କଟକ ର ଏକ ଗ୍ରାମରେ ସେ ରୁହନ୍ତି ସେତେବେଳେ ସେ ଥିଲେ ଥିଙ୍କଜୋନର ଅପରେସନ ଆସୋସିଏଟ । କଲେଜ ପରେ ଘରେ ବସିବାକୁ ସେ ପସନ୍ଦ ନକରି ଧରି ପକାଇଲେ ଥିଙ୍କଜୋନର ହାତ । ପ୍ରଥମେ ଶିକ୍ଷୟିତ୍ରୀ ଭାବରେ ଥିଙ୍କଜୋନରେ ରହିଲେ ଓ ବର୍ତ୍ତମାନ ସେ ଅପରେସନ ମ୍ୟାନେଜର ଅଛନ୍ତି । ସେ ତାଙ୍କ ପରିବାର ଚଳେଇବାରେ ବହୁତ ସାହାଯ୍ୟ କରିଛନ୍ତି । ତାଙ୍କ ବିବାହ ପରେ ମଧ୍ୟ ଚାକିରିରୁ ସେ ପଛ ଘୁଞ୍ଚା ଦେଇନାହାନ୍ତି । ତାଙ୍କୁ ଦେଖିଲେ ବେଳେ ବେଳେ ଗର୍ବ ଲାଗେ କାରଣ ମୁଁ ତାଙ୍କ ସହ କାମ କରିବାର ସୁଯୋଗ ପାଇଲି । 
ଯଦି ଆରମ୍ଭ କରିଛି ତେବେ ଆଉ ଜଣଙ୍କ ବିଷୟରେ ମଧ୍ୟ କିଛି କହିବାକୁ ଚାହିଁବି ସେ ହେଉଛନ୍ତି କେନ୍ଦ୍ରାପଡ଼ାର ପ୍ରିତି ରେଖା ଦାଶ । ଖରା,ବର୍ଷା ଓ ଶୀତ ଯେପରି ତାଙ୍କ ପାଇଁ ଏକ ସମାନ ।ସେ କାମକୁ ଆଗରେ ଓ ଘର ବିବାଦକୁ ପଛରେ ପକାଇ ଆଗେଇ ଚାଲନ୍ତି । ତାଙ୍କର ଗୋଟିଏ କୁନି ଝିଅ ଅଛି ଯାହାର ପଢ଼ା ଦାୟିତ୍ଵକୁ ମଧ୍ୟ ସେ ନିଜ କାନ୍ଧ ଉପରକୁ ନେଇଛନ୍ତି । ଆପଣ ଶୁଣିଥିବେ “ଝିଅ ଜନମ ପର ଘରକୁ” କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିବାହ ପରେ ମଧ୍ୟ ତାଙ୍କ ପରିବାରର ସମସ୍ତ ଦାୟିତ୍ଵ ସେ ହିଁ ବୁଝନ୍ତି । ସେ କୁହନ୍ତି “ଥିଙ୍କଜୋନ ତାଙ୍କ ଜୀବନରେ ଆସିବା ପରେ ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ହୋଇଛି” । 
ଚାଲନ୍ତୁ କଟକ ଆଉ କେନ୍ଦ୍ରାପଡ଼ା କଥାତ ଶୁଣିଲେ ଏବେ ଟିକେ ଭଦ୍ରକ ଆଡ଼େ ବୁଲି ଆସିବା । ଭଦ୍ରକର ଅପରେସନ ମ୍ୟାନେଜର ସୁଭଦ୍ରା ଶାହୁ । ବୟସରେ ସିନା ସମସ୍ତଙ୍କ ଠାରୁ ସାନ କିନ୍ତୁ କାମରେ କେହି କାଟିପାରନ୍ତିନି ତାଙ୍କୁ । ଅଳ୍ପ ବୟସରେ ବିବାହ ହେବା ସତ୍ବେ ମଧ୍ୟ ସ୍ବାମୀଙ୍କ ସହଯୋଗ ସହ ସେ ଥିଙ୍କଜୋନରେ ବର୍ଷେ ହେଲା କାମ କରୁଛନ୍ତି । କିନ୍ତୁ ତାଙ୍କ କାମରୁ ଲାଗେ ଯେପରି ୬ ବର୍ଷ ହେଲା ସେ ଥିଙ୍କଜୋନ ସହିତ ଜଡ଼ିତ ହୋଇ ଅଛନ୍ତି । 
ଲେଖିବା ପାଇଁ ଖାଲି କାଗଜ ଅଛି କିନ୍ତୁ ମୋ ପାଖରେ ଶବ୍ଦର ଭଣ୍ଡାର କମ । ଶେଷରେ କେବଳ ଏତିକି କହିବି ଥିଙ୍କଜୋନରେ ଯେତେ ଶିକ୍ଷକ ଅଛନ୍ତି ତା ମଧ୍ୟରୁ ଶତକଡା ୮୦ ଭାଗ ମହିଳା ଓ ସମସ୍ତେ ଗ୍ରାମାଞ୍ଚଳରେ ରୁହନ୍ତି ।ଯଦି ସମଗ୍ର ଦୁନିଆ ମହିଳା ଦିବସ ମାର୍ଚ୍ଛ ୮ ରେ ପାଳନ କରନ୍ତି ମତେ ଲାଗେ ଥିଙ୍କଜୋନ ଏହାକୁ ପ୍ରତିଦିନ ପାଳନ କରେ ।   

ଆପଣଙ୍କ ମନରେ ଗୁଡ଼ାଏ ପ୍ରଶ୍ନ ଉଙ୍କି ମାରୁଥିବ 
୩ ଟି ସ୍ଥାନରେ କ’ଣ ଅପରେସନ ମ୍ୟାନେଜର ନାରୀ ଅଛନ୍ତି ? 
ସେମାନେ କ’ଣ ସେନ୍ଟରକୁ ବୁଲି ବୁଲି କାମ କରିପାରୁଥିବେ ?
ସେମାନେ କ’ଣ ସବୁ ଜିନିଷ ସମ୍ଭାଳି ପାରୁଥିବେ ? 

ବାସ ଏତିକି କଥା ହିଁ ମୁଁ କହିବାକୁ ଚାହୁଁଛି ମୁଁ ଏହି ସଙ୍ଗଠନରେ ଆସିବା ପରେ ନାରୀ ସଶକ୍ତି କରଣର ଅର୍ଥ ବୁଝି ପାରୁଛି । ଥିଙ୍କଜୋନରେ କାମ କରୁଥିବା ନାରୀମାନଙ୍କୁ ଦେଖିଲେ ଲାଗେ ଦୁନିଆରେ ଧୀରେ ଧୀରେ ନାରୀମାନେ ଆଗକୁ ବଢ଼ିବାରେ ଲାଗିଛନ୍ତି । ସ୍ଵବଲମ୍ବି ଶବ୍ଦର ଅର୍ଥ ପ୍ରତିଟି ନାରୀ ନିଜେ ପୂର୍ଣ୍ଣ କରୁଛନ୍ତି ।

Leave a Comment

Your email address will not be published. Required fields are marked *