A word from parents (ଅଭିଭାବକମାନଙ୍କ ମୁହଁରୁ)
ଓଡିଶାର ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି ବ୍ଲକରେ ସୁବ୍ରତ ସାହୁର ଘର । ସୁବ୍ରତ ତା’ ଗ୍ରାମର ସରକାରୀ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢେ । ଆଉ ସୁବ୍ରତ ପାଇଁ ସ୍କୁଲ ହେଉଛି ଏକ ଖୁସିର ସ୍ଥାନ ଯେଉଁଠାରେ ସେ ତା’ର ସାଙ୍ଗମାନଙ୍କ ସହ ଖେଳେ, ପାଠ ପଢେ, ନାଚ-ଗୀତ କରେ । କିନ୍ତୁ କାରୋନା ମହାମାରୀ ପାଇଁ ବିଦ୍ୟାଳୟ ବନ୍ଦ ହୋଇଗଲା ଆଉ ସୁବ୍ରତର ଖୁସିରେ ତାଲା ଲାଗିଗଲା । ସୁବ୍ରତର ବାପା ଏକ ଚାଷୀ, ତାଙ୍କ ପାଖରେ ଏତେ ସମ୍ବଳ କାହିଁ ଯେ ସେ ଗୋଟିଏ ସ୍ମାର୍ଟ ଫୋନ କିଣିବେ ସୁବ୍ରତ ପାଠ ପଢିବା ପାଇଁ । ଏହା କେବଳ ସୁବ୍ରତର ସମସ୍ୟା ନୁହେଁ, ସୁବ୍ରତ ଭଳି ଗ୍ରାମାଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ୭୦ ପ୍ରତିଶତ ପିଲା ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏହି ସମୟରେ ଥିଙ୍କଜୋନ ତିନୋଟି ଜିଲ୍ଲାରେ ଘରେ ରହି ପାଠପଢା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହି କାର୍ଯ୍ୟକ୍ରମ ଯେଉଁ ପିଲାମାନେ ସ୍ମାର୍ଟ ଫୋନ କିମ୍ବା ଇଣ୍ଟରନେଟ ସୁବିଧା ନ ଥିବାରୁ ପାଠପଢାରୁ ବଞ୍ଚିତ ହେଉଛନ୍ତି, ସେହି ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମର ଆଉ ଏକ ଉଦ୍ଦେଶ୍ୟ ମଧ୍ୟ ଥିଲା ଯେ ପିତାମାତାଙ୍କୁ ପିଲାଙ୍କ ପାଠପଢାରେ ଜଡ଼ିତ କରିବା । ପିତାମାତାମାନେ ପ୍ରତିଦିନ ଫୋନ ମାଧ୍ୟମରେ ଏକ ଗତିବିଧି ପାଇଥା’ନ୍ତି ଯାହା ସେମାନେ ପିଲାସହ ଅଭ୍ୟାସ କରିଥା’ନ୍ତି । ଏବେ ଆମେ ସେହି ପିତାମାତାମାନଙ୍କ ମୁହଁରୁ ଶୁଣିବା ତାଙ୍କ ଅନୁଭୂତି କିପରି ରହିଛି ଏହି କାର୍ଯ୍ୟକ୍ରମରେ ।
ପ୍ରଥମେ ଆରମ୍ଭ କରିବା ସୁବ୍ରତର ମାଆ ରଶ୍ମିତା ଜେନାଙ୍କ ଠାରୁ । ରଶ୍ମିତା ମାଡାମ ଆମ କାର୍ଯ୍ୟକ୍ରମର ଏକ ବହୁତ ସକ୍ରିୟ ଅଭିଭାବକ । ଯଦି କେବେ ଆମ ପାଖରୁ ଫୋନ କଲ ଯାଇ ନଥାଏ ସେ ନିଜେ ଆମକୁ ଫୋନ କରି ଗତିବିଧି ବୁଝି ନିଅନ୍ତି । ତାଙ୍କୁ ଯେତେବେଳେ ମୁଁ ପଚାରିଲି ଏହି କାର୍ଯ୍ୟକ୍ରମ ବିଷୟରେ ସେ କହିଲେ, “ଥିଙ୍କଜୋନକୁ ବହୁତ ଧନ୍ୟବାଦ ଯାହା ମୋ ପିଲାକୁ ପାଠ ପଢିବା ପାଇଁ ସାହାଯ୍ୟ କରୁଛି । ଆଉ ଏହା ମୋତେ ମୋର ପିଲା ସହ ଅଧିକ ସମୟ ବିତାଇବାର ସୁଯୋଗ ମଧ୍ୟ ଦେଇଛି । ପ୍ରଥମେ ମୁଁ ବହୁତ କମ୍ ସମୟ ମୋ ପିଲାପାଇଁ ଦେଉଥିଲି । କିନ୍ତୁ ଏବେ ପିଲାସହ ଗତିବିଧି କରି ଭଲ ଲାଗୁଛି। ଏବେ ମୁଁ ଜାଣି ପାରୁଛି ମୋ ପିଲା କଣ ପାଠ ପଢୁଛି” ।
ରଶ୍ମିତା ମାଡାମଙ୍କ ଗ୍ରାମରେ ଆଉ ଜଣେ ଅଭିଭାବକ ହେଉଛନ୍ତି ମୀରା ଦାସ । ମୀରା ମାଡାମ ଆଉ ରଶ୍ମିତା ମାଡାମ ଦୁହେଁ ସାଥିରେ ବସି ପିଲାମାନଙ୍କୁ ଗତିବିଧି କରାଇଥା’ନ୍ତି । ଆମେ ଦେଉଥିବା ଗତିବିଧି ବ୍ୟତୀତ ସେମାନେ ନିଜ ମନରୁ ମଧ୍ୟ ଆମେକ ଗତିବିଧି କରିଥାଆନ୍ତି । ମୀରା ମାଡାମଙ୍କୁ ମୁଁ ଯେତେବଳେ ପଚାରିଲି ଆମ କାର୍ଯ୍ୟକ୍ରମ ବିଷୟରେ, ସେ କହିଲେ “ମୋର ଶିକ୍ଷାଗତ ଯୋଗ୍ୟତା ବେଶୀ ନୁହେଁ । ତେଣୁ ମୁଁ କେବେ ମୋ ପିଲା ପାଠପଢ଼ାରେ ଯୋଗ ଦିଏ ନାହିଁ । କିନ୍ତୁ ଥିଙ୍କଜୋନରୁ ଆସିଥିବା ଗତିବିଧି ଅଭ୍ୟାସ କରିବା ଠାରୁ ମୋତେ ଲାଗିଲା ମୁଁ ମଧ୍ୟ ମୋ ପିଲା ପାଠପଢାରେ ଯୋଗ ଦେଇ ପାରିବି” ।
କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକରେ ରାଜେଶ ଜେନାଙ୍କ ଘର । ଆମ କାର୍ଯ୍ୟକ୍ରମ ବିଷୟରେ ସେ କହିଲେ “ମୁଁ ଏକ ଦିନ ମଜୁରିଆ । ସକାଳେ କ୍ଷେତକୁ ଯାଇ ସନ୍ଧ୍ୟାରେ ଆସେ । ତେଣୁ ଆଉ ପିଲା ଉପରେ ଧ୍ୟାନ ଦେଇ ପାରେ ନାହିଁ । ଥିଙ୍କଜୋନରୁ ଜଣେ ଦିଦି ମୋତେ କଲ କରି ପିଲାର ପାଠପଢାରେ ମୋର ଭୂମିକା ବୁଝାଇଲେ । ଏବେ ମୁଁ ପ୍ରତିଦିନ 10 ମିନିଟ ହେଲେ ମଧ୍ୟ ଗତିବିଧି ଅଭ୍ୟାସ କରେ । ମୋ ପିଲା ମଧ୍ୟ ବହୁତ ଖୁସି ହୁଏ” ।
ନିଶ୍ଚିନ୍ତକୋଇଲି ବ୍ଲକରେ ବବିତା ଭୂୟାଁଙ୍କର ମଧ୍ୟ ଘର । ତାଙ୍କୁ ଯେତେବେଳେ ଆମ କାର୍ଯ୍ୟକ୍ରମ ବିଷୟରେ ପଚାରିଲୁ ସେ କହିଲେ, “ଲକଡାଉନ ପାଇଁ ମୋ ପିଲା ପାଠପଢି ପାରୁ ନଥିଲା । ଘରେ ବସି ନିଜେ ନିଜେ ତା’ ବହି ଏପରି ପଢୁଥିଲା । କିନ୍ତୁ ଯଦି କିଛି ଆଶଙ୍କା ଆସୁଥାଏ ସେ ଆଶଙ୍କା ସେହିପରି ରହିଯାଏ । ଥିଙ୍କଜୋନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦିଦି କଲ କରି କିଛି ଆଶଙ୍କା ଆସିଲେ ବୁଝାଇ ଦିଅନ୍ତି । ମୋ ପିଲା ଏବେ ବହୁତ ଖୁସି ଅଛି କାରଣ ସେ ଘରେ ବସି ମଧ୍ୟ ପାଠ ପଢିପାରୁଛି” ।
ଏବେ ଆମେ ଖୋର୍ଦ୍ଧା ଜିଲାର ଜାଗୁଲିପାଟଣା ବ୍ଲକର ପିତାମାତାଙ୍କ ଠାରୁ ଶୁଣିବା ସେମାନେ କଣ କହୁଛନ୍ତି । “ପିତାମାତା ପିଲାର ଶିକ୍ଷାରେ ଗୁରୁତ୍ୱୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ଜାଣି ନ ଥିଲି। କାରଣ ମୋ ପିତାମାତା କେବେ ମୋ ପାଠପଢାରେ ଯୋଗ ଦେଇ ନ ଥିଲେ । ମୁଁ ସ୍କୁଲ ଏବଂ ଟିଉସନ ଉପରେ ନିର୍ଭର ଥିଲି । ଥିଙ୍କଜୋନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଜାଣିଲି ଶିକ୍ଷା ସବୁଠାରେ ଅଛି । କେବଳ ସ୍କୁଲ ଏବଂ ଟିଉସନ ଦିଦି ପାଖରେ ନୁହେଁ । ଯେପରିକି ପରିବା ଦେଖାଇ ମୁଁ ମୋ ପିଲାଙ୍କୁ ରଙ୍ଗ, ପରିବା ନାମ ଶିଖାଇ ପାରିଛି”, ଏହା ଥିଲା ରତିଶ ମହାପାତ୍ରଙ୍କ ମତ ।
ପିତାମାତାମାନଙ୍କର ଆମ କାର୍ଯ୍ୟକ୍ରମରେ ଅନୁଭୂତି ଆପଣ ଦେଖିଲେ । ଆପଣ ମଧ୍ୟ ୧୮୦୦୩୧୩୭୩୩୮ରେ କଲ କରି ଘରେ ରହି ପିଲାର ପାଠ ପଢାରେ ଯୋଗ ଦେଇ ପାରିବେ ।